Odia Gapa Uansi Kanya Part 1

ଉଆଁସୀ କନ୍ୟା

      Odia Gapa – ଜିନି ବାଣୀବିହାର ରୁ ଫିଜିକସ ରେ ଏମ ଏସ ସି ସାରି ଘରେ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଚିନ୍ତା କରୁଥାଏ ଏତିକିବେଳେ ଜୀବନ ପହଞ୍ଚି ପଚାରିଲା – କଣ ବସି ଏତେ ଭାବୁଛ। 

ଜିନି ହସିଦେଲା, କିଛି କହିଲା ନାହିଁ। ନାରୀ ର ଏଇ ନୀରବ ହସରେ କି କୁହୁକ ଥାଏ କେଜାଣି ପୁରୁଷ ପାଗଳ ପ୍ରାୟ ହେଇଯାଏ। ହସରେ ଇଙ୍ଗିତ ଯାହା ବି ଥାଉ ପାଖରେ ଥିବା ପୁରୁଷ ନିଜ ପାଇଁ ଉଦ୍ଦିଷ୍ଟ ବୋଲି ଭାବିବା ଆରମ୍ଭ କରେ ଓ ସେହି ହସ ଭିତରେ ନିଜ ସ୍ବପ୍ନ କୁ ଗଢିବାରେ ପ୍ରୟାସ କରେ।

ଜୀବନ ପାଖ ଗାଁ ରେ ରହେ। ବାଣୀବିହାର ରୁ ଏମ୍ ଏସ୍ ପି ପାସ କଲା ପରେ ଶିକ୍ଷକତା ବୃତ୍ତି କୁ ଆଦରି ନେଇଛି। ଗାଁ ପାଖ ସ୍କୁଲ୍ ଯେତେବେଳେ ତେଣୁ ଘରେ ବି ସେଇଥିରେ ଖୁସି। ଜିନି ସହିତ ପରିଚିତ ଗାଁ କଲେଜରେ ବି ଏସ୍ ସି ପଢିବା ସମୟରୁ। ପାଠ ପଢାରେ ଅନେକ ସମୟୋପଯୋଗୀ ସାହାଯ୍ୟ ମଧ୍ୟ କରିଛି। ତେଣୁ ଜୀବନର ଜିନି ସହିତ ମିଳାମିଶାରେ କୌଣସି ବାଧକ ନଥାଏ।

କଥାବାର୍ତ୍ତା ଆଳରେ କେହି କାହାକୁ ପ୍ରକାଶ୍ୟରେ ପ୍ରେମ କରନ୍ତି ବୋଲି ନ ଜଣାଇଲେ ମଧ୍ୟ ଜିନି ଏମଫିଲ ପାଇଁ ପ୍ରସ୍ତୁତି କରୁଥିବା ଜାଣି ଜୀବନ ସିଧା ସଳଖ ନିଜ ବିବାହ ପ୍ରସ୍ତାବ ଜିନି ପାଖରେ ରଖିଲା। ଜିନି କିଛି ସମୟ ପାଇଁ ସ୍ତମ୍ଭୀଭୂତ ହେଲେ ମଧ୍ୟ ଜୀବନ କୁ କିଛି ଉତ୍ତର ଦେବା ଅନିର୍ବାର୍ଯ୍ୟ ମନେ କରି କହିଲା – ଆପଣ ଘରେ ଆସି କୁହନ୍ତୁ। 

– ହଁ ହଁ ଘରେ ଆସି ତ ନିଶ୍ଚୟ କହିବି। ତମକୁ ତ ମୁଁ ଆଉ ରାସ୍ତାରୁ ଉଠେଇ ପାରିବିନି। 

ଜୀବନ ର କଥା ଶୁଣି ଜିନି ହସିଦେଲା। 

ଜିନିର ଏଇ ହସରେ ତାର ପୂର୍ଣ୍ଣ ସମର୍ଥନ ଲୁଚି ରହିଥିବା ମନେ କରି ଜୀବନ କହିଲା – ତାହାଲେ ମୁଁ ଘରେ କହୁଛି ସେମାନେ ଆସି ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଯିବେ। 

ଜିନି ପଚାରିଲା ଯଦି ଜାତକ ନ ମିଳେ ! 

ତମକୁ ପସନ୍ଦ କରି ସାରିଲା ପରେ ଜାତକ ଦେଖେଇ ବାଧାକୁ କାହିଁକି ଡାକିବି। ତମ ଘରେ ଯଦି ଜାତକ ମାଗିବେ ଅବଶ୍ୟ ଦେଖି ପାରନ୍ତି।

– ଆପଣଙ୍କ ଘରେ ଯଦି ଦରକାର ନାହିଁ ଆମର ବି ବୋଧହୁଏ କେହି ମାଗିବେ ନାହିଁ। 

– ଭଲ କଥା। ଶ୍ରୀରାମଚନ୍ଦ୍ର ଶିବଧନୁରେ ଗୁଣ ଚଢେଇ ସୀତାଙ୍କୁ ବାହା ହେଲେ। ଶ୍ରୀ କୃଷ୍ଣ ନିଜ ଶକ୍ତି ବଳରେ ରୁକ୍ମିଣୀଙ୍କୁ ବାହା ହେଲେ, ପୃଥ୍ଵୀରାଜ ତାଙ୍କ ବୀରତ୍ବ ପାଇଁ ସଂଯୁକ୍ତାଙ୍କ ବରଣ ମାଳା ପାଇଲେ। ପିକେ ମହାନନ୍ଦିଆ ନିଜ କଳା ବଳରେ ସ୍ଵିଡେନ ର ରାଣୀଙ୍କୁ ନିଜର କଲେ। ବ୍ୟକ୍ତିର ଗୁଣ ପ୍ରେମ ପାଇଁ ଯେତେବେଳେ ଆକର୍ଷଣ ର କାରଣ ହୁଏ ଜାତକ ସେଠି ମୂଲ୍ୟ ହୀନ ମନେହୁଏ। ଯଦି ବି କୌଣସି ରିଷ୍ଟ କୌଣସି କାରଣରୁ ଆସେ ତାହେଲେ ତାହାର ଭୋଗ ମଧ୍ୟ ରାମଚନ୍ଦ୍ର ଙ୍କ ବନବାସ ପରି ଆନନ୍ଦଦାୟୀ ହୁଏ। ଜିନି ମୁହଁ ତଳକୁ କରି ଡାହାଣ ଗୋଡ ର ବୁଢା ଆଙ୍ଗୁଠିରେ ଭୂମିକୁ ଘର୍ଷଣ କରି ଶୁଣୁଥାଏ। ଜୀବନ ଦେଖିବା କ୍ଷଣି ସ୍ଵଳ୍ପ ହସି କହିଲା – ମୁଁ ତାହେଲେ ଆସୁଛି। 

ଜୀବନ ର ବାପା ମାଆ ବାହାଘର ପ୍ରସ୍ତାବ ନେଇ ଆସିବାରେ ଅନେକ ଦିନ ବିଳମ୍ବ କଲେ। ଜିନି ମଧ୍ୟ ଜୀବନର କଥା ଅନୁସାରେ ଏମଫିଲ ପାଇଁ ନ ଯାଇ ବିଈଡିରେ ମନ ଦେଲା। ଶେଷରେ ଦିନେ ଜୀବନର ବାପା ଝସକେତନ ଆସି ଜିନିର ଘରେ ପହଞ୍ଚିଲେ ଓ ବିବାହ ଦିନ ସ୍ଥିର କରି ଚାଲିଗଲେ। 

ଜିନିର ବାପା ରଘୁନାଥ ତହସିଲ ଅଫିସରେ ପିଅନ ବୋଲି ଯାହା ଜୀବନର ଦ୍ଵିଧା ଥିଲା ତାହା ମଧ୍ୟ ଆଉ ରହିଲା ନାହିଁ। 

ବିବାହର ସମସ୍ତ ଆୟୋଜନ ସୁରୁଖୁରୁରେ ଚାଲିଥାଏ। ଆଉ ଦୁଇଟି ଦିନ ଗଲେ ବାଜା ରୋଷଣୀ ସହିତ ଜୀବନ ବର ବେଶ ହୋଇ ଜିନି ପାଖରେ ପହଞ୍ଚିବ।

 ଝସକେତନ କାହାଠାରୁ ଜିନି ଉଆଁସୀ କନ୍ୟା ଜାଣି ତୁରନ୍ତ ଜାତକ ମଗାଇଲେ। ଜାତକରୁ ସତ୍ୟ ଜାଣି ସାରିଲା ପରେ ସେ ଏକମାତ୍ର ପୁତ୍ରକୁ ଉଆଁସୀ କନ୍ୟା ହାତରେ ଟେକି ଦେବା ପାଇଁ ଆଉ ଇଛା କଲେ ନାହିଁ। 

ବାହାଘର ଏମିତି ନାଟକୀୟ ଢଙ୍ଗରେ ଭାଙ୍ଗି ଯିବ ବୋଲି କେହି କେବେ କଳ୍ପନା କରି ନଥିଲେ। ଯିଏ ଯାହା ବୁଝାଇଲେ ମଧ୍ୟ ଝସକେତନ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ। ତାଙ୍କର ଏପରି ଭାଙ୍ଗିବା ଅନୁଚିତ୍ ବୋଲି ଯିଏ କହିଲା ସେ କହିଲେ ଝିଅକୁ ଉଆଁସୀ ଜାଣି ମଧ୍ୟ ଲୁଚାଇବା ଭୁଲ। ସେଥିପାଇଁ ଭଗବାନ ଠିକ ସମୟରେ ଜଣେଇ ଦେଲେ। ଜୀବନ ର ବିରୋଧ ବିଶେଷ କାମ ଦେଲା ନାହିଁ। ସେ ଥରେ ଅଧେ ବାପାଙ୍କୁ ଏ ବିଷୟରେ ପଚାରିବାକୁ ଚେଷ୍ଟା କରିଛି। ବାପା କେବଳ ସଂକ୍ଷେପରେ କହିଲେ, ଉଆଁସୀ କନ୍ୟା ବିବାହ ପାଇଁ ଅଶୁଭ। ସେଭଳି କନ୍ୟା ବରଣ କରିବା ଉଚିତ ନୁହେଁ। ଜୀବନ ଆଉ କିଛି କହିବାକୁ ଚାହିଁଲେ ଝସକେତନ ରାଗ ପ୍ରକାଶ କରି କହିବେ – ତମେସବୁ ଆଜି କାଲିକା ପିଲା ଏଗୁଡା କଣ ବୁଝିବ। ପରିବାରର ବିରୋଧ ଆଗରେ ତାର ପ୍ରେମ କିଛି ସମୟ ପାଇଁ ଫିକା ପଡିଗଲା।

ଜୀବନ ମାକୁ ପଚାରିଲା – ଉଆଁସୀ କନ୍ୟାରେ ଅସୁବିଧା କଣ!

ମାଆ କହିଲେ – ତୁ ଚିନ୍ତା କରନା। ତୋ ଲାଗି ଆମେ ଆହୁରି ଭଲ ଝିଅ ଖୋଜି ନେଇ ଆସିବୁ। 

ଜୀବନ ହସିଦେଇ କହିଲା – ଏଇଟା କଣ ମୋ ପ୍ରଶ୍ନର ଉତ୍ତର  

ତୁ ଯଦି ଜାଣିଛୁ କହ ନହେଲେ ମୁଁ ଆଉ କାହାକୁ ପଚାରିବି। 

– ଉଆଁସୀ କନ୍ୟା ମାନେ ଅଶୁଭ କାରକ, ପତିର ପୀଡା ଦାୟକ 

– ଏମିତି ହେବା କେବେ କାହାର ଦେଖିଛୁ ନା ଖାଲି ଶୁଣିକି କହୁଛୁ। 

ପୁଅର ଅସନ୍ତୋଷ ଦେଖି ମାଆ ଆଉ ବିଶେଷ କିଛି କହିବାକୁ ଚାହୁଁ ନଥିଲେ। ସେ କହିଲେ – ତୋର ଯଦି ଏତେ ଜାଣିବାକୁ ଇଛା ହେଉଛି ତୁ ସିଧା ଜ୍ୟୋତିଷାଚାର୍ଯ୍ୟଙ୍କ ପାଖକୁ ଯାଉନୁ।

ଏଇଠୁ ସତର କିଲୋମିଟର ହରିପୁର ଗାଁ ମନ୍ଦିର ସାମନାରେ ତାଙ୍କ ଘର। 

– ସେ କଣ ଯାହା କହନ୍ତି ସବୁ ସତ ।

– ମୋତେ ତୁ ଏତେ କଥା ପଚାରନା। ଲୋକେ ତାଙ୍କ କଥାକୁ ବହୁତ ମାନନ୍ତି। ତୋ ବାପା ବି ସେଠିକି ଯାଇଥିଲେ। 

ଜୀବନ ତା ପରଦିନ ସିଧା ଯାଇ ଜ୍ୟୋତିଷାଚାର୍ଯ୍ୟଙ୍କ ଘରେ ପହଞ୍ଚି ପାଞ୍ଚଶହ ଟଙ୍କା ହାତକୁ ବଢାଇ ଦେଇ କହିଲା – ମୁଁ ଆପଣଙ୍କୁ ଜ୍ୟୋତିଷ ମତରେ ବାହାଘର କଥା ନେଇ କିଛି ପଚାରିବି। ଯାହା ଆପଣ ଜାଣିଥିବେ ମୋତେ ସେ ବିଷୟରେ କହିବେ କି। 

– ହଁ ପଚାରନ୍ତୁ।

– କନ୍ୟା କୋଉ ତିଥିରେ ଜନ୍ମଗ୍ରହଣ କରି ଥିଲେ ବିବାହ ପାଇଁ ଅଶୁଭ କାରକ।

Odia Gapa Uansi Kanya
Odia Gapa Uansi Kanya

– ଅମାବାସ୍ୟା। କିନ୍ତୁ କେବଳ ତିଥି ଦେଖି କିଛି କୁହାଯାଏ ନାହିଁ

– ଠିକ ସେହି ପ୍ରଶ୍ନ ଯଦି ମୁଁ ବରପାତ୍ର ପାଇଁ ପଚାରେ 

– ପୁଅଙ୍କ ପାଇଁ ସେମିତି କିଛି ଧରା ଯାଏନାହିଁ ।

– ଅମାବାସ୍ୟାରେ କଣ ପାଇଁ ଏପରି କୁହା ଯାଇଛି କହି ପାରିବେ। 

– ଅମାବାସ୍ୟା ରେ ଚନ୍ଦ୍ର କ୍ଷୀଣତର ହେଇ ଯାଇଥାଏ ତେଣୁ ତାର ଶକ୍ତି ଦୁର୍ବଳ ବୋଲି ମନେ କରାଯାଏ। ଚନ୍ଦ୍ର ଯେହେତୁ ମନର କାରକ ଓ ଦୁର୍ବଳ ମନ ଦୁଃସ୍ଥ ଚିନ୍ତା ଧାରାର ଜନକ ତେଣୁ ସେ ସୁସ୍ଥ ଚିନ୍ତାର ଅଧିକାରୀ ହୋଇ ପାରେନାହିଁ ଓ ଦୁଷ୍କର୍ମ ଆଡକୁ ମନ ବଳାଏ। 

– ତାହେଲେ ତ ଏହା ପୁଅ ପାଇଁ ବି ପ୍ରଯୁଜ୍ୟ ହେବା କଥା।

– ହେବା କଥା କିନ୍ତୁ କେହି ଗୁରୁତ୍ବ ଦିଅନ୍ତି ନାହିଁ। 

– ଝିଅର ଏଭଳି ଚିନ୍ତାଧାରା କଣ କେବଳ ବିବାହ ପରେ ଦେଖିବାକୁ ମିଳେ ନା ଆଗରୁ ମଧ୍ୟ ମିଳିଥାଏ। ଯଦି ମିଳିଥାଏ ସେହି ଝିଅ ଜନ୍ମ ହେବାର କେତେ ବର୍ଷ ହେବା ପରେ ଦେଖିବାକୁ ମିଳେ। 

– ଜାତକ ନ ଦେଖି ସେମିତି କେବଳ ଅମାବାସ୍ୟା ରେ ଜନ୍ମିତ ଭାବି କହିବା ଠିକ ନୁହେଁ। 

– ତା ମାନେ ଅମାବାସ୍ୟା ରେ ଜନ୍ମିତ ଝିଅ ମଧ୍ୟ ଭଲ ହୋଇ ପାରନ୍ତି। 

– ହଁ। ଶୁଭ ଗ୍ରହଙ୍କ ପ୍ରଭାବ ଯେ କୌଣସି ଅଶୁଭତ୍ଵକୁ ଦୂର କରି ପାରେ। ଜାତକରେ ଗୋଟାଏ ଗ୍ରହର ଦୂର୍ବଳତାକୁ ନେଇ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରା ଯାଇ ନପାରେ। ହଁ ତାର ପ୍ରଭାବ କିଛି ମାତ୍ରାରେ ନିଶ୍ଚିତ ରହିପାରେ କିନ୍ତୁ ତାହା ଏତେ କମ୍ ଯେ ଆମକୁ ଅନୁଭୂତ ହୁଏ ନାହିଁ। ତମର ଏସବୁ ପ୍ରଶ୍ନ ଶୁଣି ମୋର ବି କୌତୁହଳ ହେଲାଣି ତମେ କିଏ ଜାଣିବା ପାଇଁ। ତମେ ଝସକେତନ ବାବୁ ଙ୍କ ପୁଅ ନୁହେଁ ତ!

– ହଁ ମୁଁ ତାଙ୍କରି ପୁଅ।

– ଏବେ ତାହେଲେ ମୁଁ ବୁଝୁଛି। ତମେ ଏସବୁ ମୋତେ କାହିଁକି ପଚାରୁଛ। ତମ ବାପା ଆସି ଗୋଟିଏ ଜାତକ ଦେଖେଇ ମୋତେ ପଚାରୁଥିଲେ – ଏ ଜାତକରେ କଣ ପ୍ରେମ ବିବାହ ଅଛି। ମୁଁ କହିଥିଲି ଅଛି କିନ୍ତୁ ଏଥିରେ ବାଧା ବିଘ୍ନ ବି ଅଛି। ପରିବାର ର ଖ୍ୟାତି ରେ ଆଞ୍ଚ ମଧ୍ୟ ଆସିପାରେ। ତାପରେ ମୋତେ ପଚାରିଲେ ଉଆଁସୀ କନ୍ୟା କୁ ଶୁଭ ନା ଅଶୁଭ ଧରାଯାଏ। ମୁଁ ତାଙ୍କୁ ଅଶୁଭ କହିଥିଲି। କିନ୍ତୁ ତାପରେ ସେ ମୋର ଅନ୍ୟ କୌଣସି କଥାକୁ ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ତରତର ହୋଇ ଚାଲିଗଲେ । ତମେ କଣ ବାପା କୋଉ ଝିଅ କୁ ଭଲ ପାଉଛ କି। ଯଦି ପାଉଛ ଭଲ ବୋଲି ଜାଣିଲା ପରେ ତ ପାଉଥିବ ତେଣୁ ଭଗବାନ ଆମ ପାଇଁ କଣ ଭାଗ୍ୟ ଲେଖିଛନ୍ତି ତ ଆମେ ଜାଣିନୁ କିନ୍ତୁ ଭଲ ପାଇବାକୁ ଧୋକା ଦିଅନି।

ଗୋଟିଏ ସତଚରିତ୍ରା ନାରୀର ଅଭିଶାପ ବହନ କରିବା ଏତେ ସହଜ ନୁହେଁ। ତମେ ବାପା ମାଆ ଙ୍କୁ ବୁଝାଇବାକୁ ଚେଷ୍ଟା କର ନଚେତ୍ କନ୍ୟା ପାଖକୁ ଯାଇ ତମ ଭଲ ପାଇବାର ଅସାମର୍ଥ୍ୟତା ପ୍ରକାଶ କରି କ୍ଷମା ଯାଚନା କର। ହୁଏ ତ ସେ କ୍ଷମା କରି ଦେଇପାରେ। ମୁଁ କଣ କ୍ଷମାର ଯୋଗ୍ୟ! କହି ଜୀବନ ଫେରି ଆସିଲା। 

ତାପରେ ଅନେକ ଝିଅଙ୍କ ପ୍ରସ୍ତାବ ଆସିଛି, ଜୀବନ ସବୁ ଦେଖେ ଶୁଣେ କିନ୍ତୁ ମନା କରିଦିଏ। ଝସକେତନ ବିରକ୍ତ ହୋଇ ଦିନେ କହିଲେ ବିନା କାରଣରେ ଏମିତି ମନା କରିବା ଯାହା ଆମକୁ ଅପମାନିତ କରିବା ସେୟା। ବହୁତ ଭଲ ପ୍ରସ୍ତାବ ଟିଏ ଆଜି ଆସିଛି। ଆମେ ଦେଖି ସାରିଛୁ। ଝିଅ ସୁନ୍ଦର, ସେ ବି ଏମ ଏସ ସି କରିଛି।

ବାପା କଣ୍ଟ୍ରାକ୍ଟର, ଗୋଟିଏ ବୋଲି ଝିଅ । କିଛି ନ ମାଗୁଣୁ ସବୁ ଦେବେ ବୋଲି କହିଛନ୍ତି। 

– ମୁଁ ତାହେଲେ ଦେଖିବି କଣ ପାଇଁ। ମୁଁ ମନାକଲେ ପୁଣି ତମର ଅପମାନ ହେଇଯିବ। ତମେ ତାଙ୍କୁ ଘରକୁ ଡାକି ଦିନ ଠିକ୍ କର

– ହଁ ମୁଁ ବି ସେୟା ଭାବୁଛି। ତୁ କାଲି କୁଆଡେ ଯିବୁନି। ଭଲ ପ୍ରସ୍ତାବ ସଦାବେଳେ ସମସ୍ତ ଙ୍କୁ ଜୁଟେ ନାହିଁ। ବୋଧହୁଏ ଏହି ପ୍ରସ୍ତାବ ଟା ତୋ ପାଇଁ ଅଛି ନହେଲେ ତୋର ବାହାଘର ତ ହେଇ ସାରିଥିଲା। ଠିକ୍ ସମୟରେ ମୁଁ ଉଆଁସୀ କନ୍ୟା ବୋଲି ଜାଣି ପାରିବାରୁ ସିନା ସବୁ କିଛି ବନ୍ଦ୍ ହେଇ ପାରିଲା। ଏଥିରେ ଭାବ ପ୍ରବଣ ହେଲେ ନିଜର କିଛି ଲାଭ ନାହିଁ। ସବୁଦିଗରୁ ଯାହା ତୋ ପାଇଁ ଭଲ ମୁଁ ତାହା ହିଁ ଚିନ୍ତା କରୁଛି। 

ବାପା କହି ଦେଇ ଗଲା ପରେ ଜୀବନ ରମଣ, ବାଇକୋଳି ଆଦିଙ୍କ ଜ୍ୟୋତିଷ ବହିସବୁ ତନ୍ନ ତନ୍ନ କରି କଣ ଖୋଜିବାକୁ ଲାଗିଲା। ଜୀବନ ଏ ଭିତରେ ଅନୁସନ୍ଧିତ୍ସୁ ହୋଇ ଜ୍ୟୋତିଷ ବହି ଅନେକ ପଢି ସାରିଛି।

ଝସକେତନ ମନଲାଖି ସମୁଦୀ ପାଇ ବହୁତ ଖୁସି ଥାଆନ୍ତି । ସେଥିପାଇଁ ସେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥାନ୍ତି। କଥାବାର୍ତ୍ତା ପରେ ଭୋଜନ ସାରି ଯେତେବେଳେ ଯିବାକୁ ବାହାରିଲେ ଜୀବନ ପାଖକୁ ଆସି ଭାବି ଶଶୂରଙ୍କୁ ପଚାରିଲା ଝିଅର ଜନ୍ମ କଣ ଏପ୍ରିଲ ଚଉଦ ତାରିଖରେ। 

– ହଁ । ଏପ୍ରିଲ ଚୋଉଦ। କଣ ପାଇଁ ପଚାରୁଛ। 

– ଏପ୍ରିଲ ଚୋଉଦ ନିଶ୍ଚିତ ତ। ଅନୁମାନରେ କହୁ ନାହାନ୍ତି ତ। 

– ନା ନା। ବିଲକୁଲ ନାହିଁ। ସେ ତାରିଖ ମୁଁ ଭୁଲି ପାରିବିନି। ସେଥିପାଇଁ ତାର ଜନ୍ମ ସାର୍ଟିଫିକେଟ ରେ ବି ଏପ୍ରିଲ ଚଉଦ ଲେଖା ହେଇଛି। ସେ ଦିନ ମୋର ଗୋଟିଏ ବିବାଦୀୟ ଜମିର କେସରେ ମୁଁ ଡିକ୍ରି ପାଇଥିଲି। ତାର ଚାରି ବର୍ଷ ପରେ ସେଇ ଏପ୍ରିଲ ଚୋଉଦ ରେ ମୋ ପୁଅ ଜନ୍ମ ହେଇଥିଲା। ଭୁଲିବି କେମିତି? ସେଇଟା ଅମାବାସ୍ୟା ତିଥି ବୋଲି ବି ମୋର ମନେ ଅଛି। ମୋ ପାଇଁ ଅମାବାସ୍ୟା ବହୁତ ଶୁଭ। 

କିନ୍ତୁ ତମେ ଏସବୁ କାହିଁକି ପଚାରୁଛ।

– ଆପଣ ଯଦି ଖରାପ ନ ଭାବିବେ ମୁଁ କହିବି।

– ଝସକେତନ ଆଶ୍ଚର୍ଯ୍ୟ ହେଇ ଅନେଇ ଥାଆନ୍ତି ଜୀବନକୁ କଣ କହିବ ବୋଲି। 

ଜୀବନ କହିଲା – ବାପାଙ୍କର ଛୋଟିଆ ଭୁଲଟେ ହେଇ ଯାଇଛି। ପରେ ବାହାଘର ବେଳକୁ ଜାଣିଲେ ଉଭୟ ପକ୍ଷ କୁ ଅସୁବିଧା ବୋଲି ମୁଁ ଏବେ କହି ଦେଉଛି। 

ଝସକେତନ କିଛି ବୁଝି ନ ପାରି ଜୀବନକୁ ପଚାରିଲେ କୋଉ କଥା କହିବୁ। 

ଜୀବନ କହିଲା – ଏପ୍ରିଲ୍ ଚଉଦ ହେଉଛି ଅମାବାସ୍ୟା। ଉଆଁସୀ କନ୍ୟା ବୋହୂ କରିବ କେମିତି । ସେଥିପାଇଁ ମୁଁ ଆଗରୁ କହିଦେଲି। 

ସମସ୍ତେ ମିଶି ଜୀବନକୁ ଅନାଇ ଥାଆନ୍ତି। କାହା ପାଟିରୁ କଥା ବାହାରୁ ନଥାଏ। 

ନୂଆ ସମୁଦୀ ଝସକେତନଙ୍କୁ ଅନାଇ କହିଲେ – ମୋତେ ସେ ତହସିଲ ଅଫିସର ରଘୁ ପିଅନ ଭାବୁଛନ୍ତି କି। ତା ଝିଅ ବାହା ଘର ଭାଙ୍ଗିଲା ପରି ଯଦି ଶେଷ ମୁହୂର୍ତ୍ତରେ ସେମିତି କିଛି କର ସୁଧ ମୂଳ ସହିତ ସବୁ ଆଦାୟ କରିବି। ବିଚରା ରଘୁ ସରଳ ଓ ନିରୀହ ବୋଲି ସହିଗଲା।

 ରାଗରେ କହି ଦେଇ ତମତମ ହେଇ ଚାଲିଗଲେ। 

କିଛି ଦିନ ପରେ ଝସକେତନ ଜୀବନ କୁ ସାଙ୍ଗରେ ଧରି ଜିନି ପାଖରେ ପହଞ୍ଚି କହିଲେ – ଯଦି ତୋର ଆପତ୍ତି ନଥାଏ ମୁଁ ତୋତେ ବୋହୂ କରିବାକୁ ଚାହୁଁଛି।

ଜିନି ସଲ୍ଲଜ ହସି ଜୀବନକୁ ଅନାଇଲା। ଜୀବନ ମଧ୍ୟ ହସିଦେଲା।

ବାହାଘର ବେଳେ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସେଇ କଣ୍ଟ୍ରାକ୍ଟର ସମୁଦୀଙ୍କୁ ଜୀବନ ସହିତ ହସହସ ଅବସ୍ଥାରେ କଥା ହେଉଥିବା ଦେଖି ସନ୍ଦେହ ଚକ୍ଷୁରେ ଝସକେତନ ବାରମ୍ବାର ବୁଲି ଚାହୁଁ ଥାଆନ୍ତି। 

         *ସମାପ୍ତ*

Odia Gapa Uansi Kanya, Read Odia Gapa Uansi Kanya, Odia Odia Gapa Uansi Kanya in odia , Odia Gapa Uansi Kanya full story, Odia Gapa Uansi Kanya, Read Odia Gapa Uansi Kanya, Odia Odia Gapa Uansi Kanya in odia , Odia Gapa Uansi Kanya full story, Odia Gapa Uansi Kanya, Read Odia Gapa Uansi Kanya, Odia Odia Gapa Uansi Kanya in odia , Odia Gapa Uansi Kanya full story,Odia Gapa Uansi Kanya, Read Odia Gapa Uansi Kanya, Odia Odia Gapa Uansi Kanya in odia , Odia Gapa Uansi Kanya full story,

Leave a Comment