Odia Gapa Best Latest Odia story 26/03/2022

ଆସନ୍ତୁ ପଢ଼ିବା ଆଜିର ରାତ୍ରୀ କାହାଣୀ Odia Gapa

 

Odia Gapa ସବୁଦିନ ପରି ଆଜି ବି କଲେଜରୁ ଆସୁଆସୁ ଡେରିହୋଇଗଲା ରୋଜି ମ୍ୟାଡ଼ମ | ବ୍ୟାଗ ଟି ଡାଇନିଂ ଟେବୁଲ ଉପରେ ପଖାଇଦେଇ ଫ୍ୟାନ ତଳେ ଟିକେ ବସି ନିଶ୍ୱାସ ମାରିଲା | କେତେ ଆଉ କାମ କରିବ ଗୋଟେ ମଣିଷ ? କାମ କରିବାର ଗୋଟେ ସୀମା ଥାଏ, ହେଲେ ତା ବି ତା ଭାଗ୍ୟରେ ନାହିଁ | ଗୋଟେ ଯନ୍ତ୍ର ମଣିଷ ପାଲଟିଗଲାଣି କେବେଠୁ |

କଲେଜ ଠୁ ଘର, ଘର ଠୁ କଲେଜ ଏମିତି ଜଞ୍ଜାଳ ଭିତରେ କେତୋଟି ବସନ୍ତ ଚାଲିଗଲାଣି ଜଣାନାହିଁ | ପିଲାମାନେ ବି ବଡ ହୋଇଗଲେଣି | ପୁଅ ଭୁବନେଶ୍ୱର ରେ ଆଉ ଝିଅ ବାଙ୍ଗାଲୋର ରେ ରହୁଛନ୍ତି | ପର୍ବପର୍ବାଣୀ ରେ ଦୁହେଁ ଦୌଡ଼ି ଆସନ୍ତି ଘରକୁ | ସ୍ମାର୍ଟ ସିଟି ରେ ରହିଲେ ବି ଗାଁ କୁ ଭୁଲି ପାରନ୍ତି ନାହିଁ ଦୁଇ ଭାଇଭଉଣୀ |

ଆଉ ବିମଲ ବାବୁ ସାକ୍ଷାତ ଭୋଳା ମହେଶ୍ବର | ଅଫିସରେ ସମସ୍ତେ କେବେଠୁ ଘରକୁ ଯିବେଣୀ ହେଲେ ବାବୁ ଫାଇଲରେ ସେମିତି ପସିଥିବେ | ନସାରିଲେ ଆସିବେନି | ଆଉ କହିଲେ କହିବେ, ତମେ କଣ ଜାଣିବ | ଆଉ ଯଦି କୌଣସି ଘର ସଉଦା ପାଇଁ ପଠାଇଥିବ କାମ ସରିଲା | ଗୋଟେ ଜିନିଷ ପାଇଁ କହିଲେ ଆଉ ଗୋଟେ ଜିନିଷ ଆଣିବେ | ଆଳୁ କହିଲେ ସାରୁ ଆଣିବେ | ସେଥିପାଇଁ ମୁଁ ପ୍ରାୟ ସମୟ ବାଲିକୁଦା ବଜାରରୁ ସଉଦା ଆଣି ଚାଲିଆସେ | ହଁ ବା ସେମିତି ତ କେତେ ଦିନ ଗଲାଣି, ଆଉ କେତେ ଦିନ | ଆଉ କିଛି ବର୍ଷ ସେମିତି କାଟିଦେଲେ ଦୁଇଜଣ ଅବସର ନେବୁ , କହିଲା ରୋଜି |

 

ଆଜି ଦୁଇଜଣଙ୍କ ଛୁଟି ଥାଏ | ଆଉ ଦୁହେଁ ଡାଇନିଂ ରେ ବସି ବସି ଚା ପିଉଥାନ୍ତି | ରୋଜି ମ୍ୟାଡ଼ମ ମୋବାଇଲରେ ଗୁଡ଼ ମର୍ଣ୍ଣି ମେସେଜ ଦେଖୁଥାନ୍ତି ଓ ବିମଲ ବାବୁ ଆଉ ସକାଳର ନ୍ୟୁଜ ପେପର ପଢୁଥାନ୍ତି ଗୋଟେ ପରେ ଗୋଟେ | ପେପର ଦେଖୁ ଦେଖୁ ବିମଲ ବାବୁ କହିଉଠିଲେ, ଆଛା ରୋଜି କହିଲ ‘ ପୁଅମାନେ ରୋଷେଇ କରିବା ଉଚିତ ନା ନାହିଁ ? ହଁ କରିବା ଉଚିତ ନହେଲେ ଘରର ସ୍ତ୍ରୀଲୋକ ଦେହ ଖରାପ ବା କୌଣସି ଅସୁବିଧା ରେ କଣ କରିବେ , ଉତ୍ତର ଦେଲା ରୋଜି |

ହେଲେ ଏ ପୋଲିସ ଅଫିସର ସେଇକଥା କହିଲେ ବୋଲି ଏତେ ଚର୍ଚ୍ଚା କାହିଁକି ? ରୋଷେଇ କରିବା ଠିକ ହେଲେ ବାହା ହେବା କଥାଟା କାଇଁ ମୋତେ ଠିକ ଲାଗୁନି , ରୋଜି କହିଲା | ହେଇଟି ତୁମେ ଫୁଣି ରୋଷେଇ ଜାଣିନଥିଲ ମୁଁ ବାହାହେଲି ନା ନାହିଁ | ପତି ପତି ଧର୍ମ ପାଳନ କରିବ ଆଉ ପତ୍ନୀ ତା ଧର୍ମ ପାଳନ କରିବ | ତା କଣ କହିବାକୁ ପଡିବ ପତି ପତ୍ନୀଙ୍କୁ |

ଦୁହିଁଙ୍କ ଭିତରେ ଗୋଟେ ସୁନ୍ଦର ନିଷ୍କପଟ ଆଉ ପ୍ରଚୁର ଭଲପାଇବା ଥିବା ଦରକାର | ହେଇଟି ଏତେ ବର୍ଷ ହେଲାଣି ତୁମେ ରୋଷେଇ ନ ଶିଖିଲେ ବି ମୋତେ ତ ରୋଷେଇ ରେ ସାହାଯ୍ୟ କରୁଛ | ମୋ ଦେହ ଖରାପ ରେ ଏତେ ସେବା କରୁଛ, ସେତିକି କଣ କମ କଥା ମୋ ପାଇଁ | ଆଉ କଣ ଦରକାର ସେତିକି ଭଲପାଇବା ମୋ ପାଇଁ ଯଥେଷ୍ଟ | ଏହା ଶୁଣି ବିମଲ ବାବୁ ଟିକେ ହସିଦେଲେ | ଦୁଇଜଣ ଚାଲିଲେ ନିଜ ନିଜ କାମରେ | କାମ ସରିଲେ ପୁଣି ଛୁଟି ରେ ଟିକେ ଦୁହେଁ ବୁଲିବାକୁ ଯିବେ |

କାହିଁ କେଉଁ ଦିନରୁ ଦୁହେଁ ଟିକିଏ ଛୁଟି ମିଳିଲେ ଘର କାମ ସାରି ବୁଲିବାକୁଯାନ୍ତି | କିଛି ନହେଲେ ପାଖ ବାଲିକୁଦା ବଜାର ନହେଲେ ଜଗତସିଂହପୁର ବଜାର | ଏଥର କିନ୍ତୁ ବାବୁଙ୍କର ମନ ଶିଆଳି ସମୁଦ୍ର କୂଳେ କୂଳେ ବୁଲିବାକୁ ଆଉ ସରବନ୍ତ ଜଗନ୍ନାଥ ମନ୍ଦିରରେ ପ୍ରସାଦ ଖାଇବାକୁ | ବୟସ ସିନା ଟିକେ ହେଲାଣି କିନ୍ତୁ ରସିକ ପଣରେ କମ କି ବାବୁ | ଆଜିବି ଖୋକା ଭାଇଙ୍କ ସବୁ ଲଭ ସଙ୍ଗ ତାଙ୍କ ପସନ୍ଦ | ଯାହାବି କୁହ ବୟସ ହେଲେ କଣ ହେବ ବିମଲ ବାବୁ, ସେମିତି ମନରୁ ଏବେବି ଯୁବକ | ସବୁଯାକ ଯୁବ ସୁଲଭ ଗୁଣ ଭରିହୋଇ ରହିଛି |

 

ବାହାରେ ନାଲି ସ୍କୁଟି ଷ୍ଟାର୍ଟ କରି ବାହାରୁ ଡାକ ଛାଡୁଥାନ୍ତି , ଶୀଘ୍ର ଆସ ଆଉ କେତେ ସମୟ ଲାଗିବ ଆସିବାକୁ | ଘରୁ ତର ତର ରେ ଜବାବ ଦେଉଥାନ୍ତି, ସରିଲା ସରିଲା ଯାଉଛି | ଗୋଲାପୀ ଶାଢୀରେ ରୋଜି ଆଜି ବେସ ସୁନ୍ଦର ଦିଶୁଥାନ୍ତି ଆଉ ତାଙ୍କୁ ଦେଖି ବିମଲ ବାବୁ ହସିଦେଇ ଇସାରା କଲେ | ଗାଡି ଆଗେଇ ଆଗେଇ ଚାଲିଲା ଗନ୍ତବ୍ୟ ସ୍ଥଳ ଅଭିମୁଖେ | ଶିଆଳି ଯିବା ବାଟରେ ପବନରେ ଦୁହେଁ ବେସ ଆନନ୍ଦିତଥାନ୍ତି |

ଆଉ ବିମଲ ବାବୁ ତାଙ୍କ ଚିରାଚରିତ ଢଙ୍ଗ ରେ ଖୋକା ଭାଇର ସେଇ ପୁରୁଣ ରସିକିଆ ଗୀତ ବୋଲି ବୋଲି ଚାଲୁଥାନ୍ତି | ଆଉ ତା ସାଥିରେ ପାଳିଧରି ବୋଲୁଥାନ୍ତି ରୋଜି ମ୍ୟାଡମ | ଦୁହେଁ ତ ପୁରା ଜୀବନକୁ ଭଲ ଭାବେ ବୁଝିଛନ୍ତି | ବୟସକୁ କେବେ ଗୋଟେ ପ୍ରତିବନ୍ଧକ ଭାବିନଥାନ୍ତି ଦୁହେଁ | ସେଥିପାଇଁ ସେମାନଙ୍କ ସଂସାର ରଥ ପୁରା ଆରାମ ରେ ଚାଲିଛି | ଗପସପ ଭିତରେ କେତବେଳେ ଆସି ସରବନ୍ତ ମନ୍ଦିର ହୋଇଗଲାଣି ଜଣା ନାହିଁ |

ପାର୍କିଙ୍ଗରେ ଗାଡି ରଖି ଚାଲିଲେ ବାଇଶି ପାହାଚକୁ ମୁଣ୍ଡିଆ ମାରି ମାରି ମନ୍ଦିର ଭିତରକୁ | ଆଉ ଜଗାକୁ ହାତଟେକି ଦଣ୍ଡବତ ହେଲେ | ଉଠୁ ଉଠୁ ପରିଚିତ ବୀର ନନା ପ୍ରଭୁଙ୍କ ତୁଳସୀ ଆଣି ଦେଲେ ଆଉ କହିଲେ କଣ ବିମାଲବାବୁ ଏତେ ଦିନ ପରେ ଆସୁଛନ୍ତି | ଦୁହେଁ ପ୍ରଣାମ କରି ହସି କହିଲେ , ନାଇଁମ ନନା ବାବୁଙ୍କୁ ବହୁଥର କହିଲିଣି ଆସିବୁ ଆସିବୁ ହେଉଛୁ ସମୟ ମିଳୁନି | ଆଉ ଜଗାର ଡୋରୀ ଆଜି ଲାଗିଲା ବୋଧେ ଚାଲିଆସିଲୁ | ନନା ଠାରୁ ବିଦାୟ ନେଇ ଚାଲିଲେ ସିଧା ସମୁଦ୍ର କୂଳକୁ ଦୁହେଁ |

 

ସମୁଦ୍ର ବାଲିରେ ଦୁହେଁ ବସିପଡିଲେ ଆଉ ସମୁଦ୍ରରେ ଉଠୁଥିବା ଢେଉ କୁ ଦୁହେଁ ବେଶ କିଛି ସମୟ ଉପଭୋଗ କରିବା ପରେ ଟିକେ ନୀରବତା ଭଙ୍ଗକରି ବିମଲ ବାବୁ କହି ଉଠିଲେ ‘ ଜାଣିଛ ରୋଜି ଏ ଢେଉଗୁଡିକନା ମଣିଷର ପାଦ ସ୍ପର୍ଶ କରିଦିଏ ଆଉ ଏହି ଢେଉ ମଣିଷକୁ ମଝିକୁ ନେଇ ହଜାଇଦିଏ ‘ | ରୋଜି ତାଙ୍କ କଥାରେ ‘ ହଁ ‘ ମାରିଲା | ଆଉ କହିଲା , ତୁମର ସେ ଖୋକା ଭାଇ ଗୀତ ….. | ସାତ ଦରିଆ ପରେରେ……. | ରୋଜିର କଥା ସରିନି ଆରମ୍ଭ କରିଦେଲେ ସେଇ ସୁମଧୁର ଖୋକା ଭାଇ ଗୀତରୁ ପଦେ | ଆଉ ତାଙ୍କ ସାଥିରେ ରୋଜିବି ଗୁଣୁଗୁଣେଇଲା ତା ସାଥିରେ |

ବେଶ କିଛି ସମୟ ବସିବା ଭିତରେ ଝାଲମୁଢି ଵାଲା ଡାକିଡାକି ଆସିଲା | ଆଉ ଦୁହେଁ ଝାଲମୁଢି କିଣି ପୁଣି ବସିପଡିଲେ | ଆଉ ଝାଲମୁଢି ପାଟିରେ ପକାଇ ଆରମ୍ଭ କରିଦେଲେ ଗପ |ସତେଯେପରି ପ୍ରେମିକ ପ୍ରେମିକା ପରି | ନିଜର ଯୁବସୁଲଭ ଗୁଣ ପାଇଁ ଖାସ ବିମଲ ବାବୁଙ୍କୁ ସାରା ଅଫିସ କାହିଁକି ସବୁ ବର୍ଗର ଲୋକ ଭଲପାନ୍ତି |

 

ଏମିତି କଥାବାର୍ତ୍ତା ଭିତରେ କିଛି ଦୂରରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଝଗଡା କରୁଥାନ୍ତି | ବୟସ ବେଶୀ ହେବନି ତାଙ୍କର | ଝଗଡା ଏମିତି ହେଲା ବିମଲ ବାବୁଙ୍କୁ ଅସହ୍ୟ ହେଲା | ସେମାନେ ପୁଅ ବୟସର ତେଣୁ ତାଙ୍କୁ ପାଖକୁ ଡାକିଲେ | ସେମାନେବି ଟିକେ ଚୁପ ହୋଇ ପାଖକୁ ଆସିଲେ | ଦୁହେଁ କହିଲେ ‘ କଣ ହେଲା ଅଙ୍କଲ ? ଆମକୁ ଡାକିଲେ ଯେ | ଦେଖ ତୁମେମାନେ ମୋ ପୁଅଝିଅ ବୟସର ତେଣୁ ଡାକିଲି କିଛି ଖରାପ ଭାବିବନି ମୋ ଉପରେ , କହିଲେ ବିମଲ ବାବୁ | ନାଇଁ ଅଙ୍କଲ ଆମେ ଖରାପ ଭାବିବୁ କାହିଁକି , ଆପଣମାନେତ ଆମ ଗୁରୁଜନ, ଦୁହେଁ କହିଲେ |

ପୁଅ ଆମେ କିଛି ସମୟ ହେଲା ଦେଖୁଛୁ ତୁମେମାନେ ଝଗଡା କରୁଛ | ମୁଁ ଜାଣିନି କାହିଁ ଝଗଡା କରୁଛ ହେଲେ ପୁଅ ବେଶୀ ଝଗଡା ଭଲନୁହେଁ | ଏ ଝଗଡା, ଆମ ମାନଙ୍କ ଜୀବନକୁ ଛାରକାର କରିଦିଏ | ଏ ଝଗଡା ଯଦି ବିଶ୍ୱାସ ଅବିଶ୍ୱାସ ର ହୋଇଥାଏ ନା ସେତବେଳେ ଏହା ଭୀଷଣ ରୂପ ନିଏ ଆଉ ଜୀବନକୁ ନଷ୍ଟ କରିଦିଏ | ଆଉ ଏ ଝଗଡା ଯଦି ପ୍ରେମ ଆଉ ପ୍ରୀତିର ଝଗଡା ହୋଇଥାଏ ତାହାଲେ ଏ ସଂସାର ସ୍ୱର୍ଗ ପାଲଟିଯାଏ |

ବିମଲ ବାବୁ ଏତିକି କହିବା ଭିତରରେ ପୁଅଟି କହି ଉଠିଲା, ଆଛା ‘ଅଙ୍କଲ ତୁମେ କୁହ, ତୁମର କଣ କେହି ଝିଅ ସାଙ୍ଗ ନାହାଁନ୍ତି | ନା ତୁମେ କେବେ କଥା ହୁଅନି ? ବୋଧେ ଦୁଇଜଣଙ୍କ କଥା ରୋଜି ମ୍ୟାଡ଼ମ ବୁଝି ଯାଇଥିଲେ, ତାର କଥା ଶୁଣି ରୋଜି ମ୍ୟାଡାମ କହିଉଠିଲେ ‘ପୁଅ ସାଙ୍ଗ ଅଛନ୍ତି ମାନେ ଏବେବି ସେମାନେ ଗୋଟେ ଭଲ ବନ୍ଧୁ ଭାବେ ଆମ ଦୁଇଜଣଙ୍କୁ ଖୋଜନ୍ତି ଆଉ କଥା ହୁଅନ୍ତି |

ଆଉ କଲେଜ ସମୟ ର ତାଙ୍କ ରସିକିଆପଣ ମୋତେ କହିଛନ୍ତି | ଆମ ଦୁଇଜଣଙ୍କ ପୁରୁଣା ସ୍ମୃତି ଉଭୟେ ମନେ ପକାଇ ବହୁତ ଖୁସି ହେଉ | ଏଥିରେ ଆମେ କାହିଁକି ଖରାପ ଭାବିବୁ | ମୋର ବି ତ ପୁଅ ସାଙ୍ଗ ସବୁ ଅଛନ୍ତି ସେ ବି କଥା ହୁଅନ୍ତି ତୁମ ଅଙ୍କଲ ସହ | ଯଦି ସମ୍ପର୍କରେ ବିଶ୍ୱାସ ଥାଏ ଆଉ ସେହି ବିଶ୍ୱାସକୁ ନେଇ ଦୁହେଁ ଚାଲିବେ ତାହାଲେ ଏ ସମ୍ପର୍କ କଳୁଷିତ ହେବନି

ବୋଧେ ଦୁଇଜଣ ତାଙ୍କ ଝଗଡାର ଉତ୍ତର ସେମାନେ ପାଇଯାଇଥିଲେ ରୋଜି ମ୍ୟାଡ଼ମ ଆଉ ବିମଲ ବାବୁଙ୍କ କଥାରୁ | ଆଉ ହସି ଦେଇଥିଲେ ଦୁହେଁ ଦୁହିଁଙ୍କୁ ଦେଖି | ସରି ଅଙ୍କଲ , ସରି ଆଣ୍ଟି ଆମର ଭୁଲ ହୋଇଯାଇଛି | ଆମେ ପରସ୍ପର ଭୁଲ ବୁଝାମଣା ଭିତରେ ଥିଲୁ | ଆପଣ ଦୁହିଁଙ୍କ ପାଇଁ ଆମେ ଭୁଲ ବୁଝିପାରିଛୁ | ଆଉ କଥା ଦେଉଛୁ କେବେ ଆଉ ଝଗଡା କରିବୁନି, ଦୁଇଜଣ ଯାକ | ଏତିକି କହିବାଭିତରେ ବିମଲ ବାବୁଙ୍କ ଫୋନରୁ ବାଜିଉଠିଲା ତାଙ୍କ ପ୍ରିୟ ଖୋକା ଭାଈଙ୍କ ଗୀତ…… ଆଉ ବିମଲ ବାବୁ ହ୍ୟାଲୋ କହିବା ପୂର୍ବରୁ ସେପଟୁ ଶୁଣାଗଲା ତାଙ୍କର ଜଣେ ବାନ୍ଧବୀର ସ୍ୱର |

କଣ ହିରୋ…. ଖବର…..କାଲି ମୋ ଝିଅ ଜନ୍ମଦିନ ତୋ ହିରୋଇନ ସାଥେ ଆସି ପହଁଚିବୁ | ଆମେ ଅପେକ୍ଷା କରିଥିବୁ ସମସ୍ତେ | ରୋଜି ମ୍ୟାଡମ ଟିକେ ବିମଲ ବାବୁଙ୍କ ଆଡକୁ ଅନେଇ ହସିଦେଲେ | ଆଉ ପରେ ପରେ ସମସ୍ତେ ହସିଲେ ଆଉ ପୁଅଟି କହିଲା, ଅଙ୍କଲ ସତରେ ତୁମେ ମନରୁ ଯୁବକ | ଆଉ ଆଣ୍ଟି ବି ସେମିତି ତୁମପରି | ସମସ୍ତେ ଚାଲିଲେ ମନ୍ଦିର ଆଡେ ପ୍ରସାଦ ପାଇବାକୁ | ବିମଲ ବାବୁ ଓ ରୋଜି ମ୍ୟାଡ଼ମ ହାତଧରା ଧରି ହୋଇ ଚାଲିଲେ ପ୍ରେମିକ ପ୍ରେମିକା ଭଳି ଆଗକୁ ଆଗକୁ ଆଉ ପଛରୁ ଶୁଭୁଥାଏ ସେ ସ୍ଵାମୀ ସ୍ତ୍ରୀଙ୍କ ହସଖୁସିର ସ୍ୱର |

 

ମୋ କଥାଟି ସରିଲା,ଫୁଲ ଗଛଟି ମରିଲା

ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି…….ଅପେକ୍ଷା କରିଥାଅ ସମସ୍ତେ

 

Odia Gapa

 

Leave a Comment